इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଭାଗ ୩

ସମସ୍ୟାଗୁଡ଼ିକୁ କିପରି ସମାଧାନ କରିବେ

ସମସ୍ୟାଗୁଡ଼ିକୁ କିପରି ସମାଧାନ କରିବେ

“ପ୍ରଗାଢ଼ ପ୍ରେମରେ ପରସ୍ପରକୁ ପ୍ରେମ କରୁଥାଅ, କାରଣ ପ୍ରେମ ବହୁଳ ପାପ ଆଚ୍ଛାଦନ କରେ ।”—୧ ପିତର ୪:୮

ଯେତେବେଳେ ଆପଣ ଓ ଆପଣଙ୍କ ଜୀବନସାଥୀ ବୈବାହିକ ଜୀବନ ଆରମ୍ଭ କରନ୍ତି, ଆପଣଙ୍କ ଜୀବନରେ କିଛି ନା କିଛି ସମସ୍ୟା ନିଶ୍ଚୟ ଆସିବ । ସେଗୁଡ଼ିକର କାରଣ ହୁଏତ ଏହା ହୋଇପାରେ ଯେ ଆପଣ ଦୁହିଙ୍କ ଚିନ୍ତାଧାରା, ଭାବନା ଏବଂ କାମ କରିବାର ପ୍ରକ୍ରିୟା ପରସ୍ପରଠାରୁ ଭିନ୍ନ ଅଟେ । ତାʼ ସହିତ, ହୁଏତ କିଛି ସମସ୍ୟା ପରିବାରର ବାହାର ପଟୁ ଆସିଥାଏ କିମ୍ବା ହଠାତ୍‌ ପରିସ୍ଥିତି ବଦଳିଯିବା ଯୋଗୁଁ ଦେଖାଦିଏ ।

ସମସ୍ୟାଗୁଡ଼ିକଠାରୁ ଦୂରକୁ ଚାଲିଯିବା ହୁଏତ ଆମକୁ ସହଜ ଲାଗିପାରେ, କିନ୍ତୁ ବାଇବଲ ଆମକୁ ନିଜ ସମସ୍ୟାଗୁଡ଼ିକୁ ସାମନା କରିବା ପାଇଁ ପରାମର୍ଶ ଦିଏ । (ମାଥିଉ ୫:୨୩, ୨୪) ବାଇବଲରେ ଦିଆଯାଇଥିବା ସିଦ୍ଧାନ୍ତଗୁଡ଼ିକୁ ଲାଗୁ କରିବା ଦ୍ୱାରା ଆପଣ ନିଜ ସମସ୍ୟାଗୁଡ଼ିକୁ ସବୁଠାରୁ ଉତ୍ତମ ଉପାୟରେ ସମାଧାନ କରିପାରିବେ ।

୧ ସମସ୍ୟା ବିଷୟରେ କଥା ହୁଅନ୍ତୁ

ବାଇବଲ କʼଣ କହେ: “କଥା କହିବାର ମଧ୍ୟ ସମୟ ଅଛି ।” (ଉପଦେଶକ ୩:୧,, ଇଜି-ଟୁ-ରିଡ୍‌ ଭର୍ସନ) ନିଜ ସମସ୍ୟା ବିଷୟରେ କଥା ହେବା ପାଇଁ ସମୟ ବାହାର କରନ୍ତୁ । ନିଜ ଜୀବନସାଥୀଙ୍କୁ ସଚ୍ଚୋଟତାର ସହିତ କହନ୍ତୁ ଯେ ଏବିଷୟରେ ଆପଣ କିପରି ଅନୁଭବ କରନ୍ତି ଏବଂ ଏହା ଉପରେ ଆପଣଙ୍କ ମତ କʼଣ ? ନିଜ ଜୀବନସାଥୀଙ୍କୁ ସର୍ବଦା ‘ସତ୍ୟ କଥା କୁହନ୍ତୁ ।’ (ଏଫିସୀୟ ୪:୨୫) ଏପରିକି ଯେତେବେଳେ ନିଜ ଭାବନାଗୁଡ଼ିକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼େ, ସେହି ସମୟରେ ମଧ୍ୟ ନିଜ ଜୀବନସାଥୀଙ୍କ ଉପରେ ରାଗି ଯାଇ ଝଗଡ଼ା କରନ୍ତୁ ନାହିଁ । ଯଦି ଆପଣ ଶାନ୍ତ ମନରେ ଉତ୍ତର ଦିଅନ୍ତି, ତେବେ ଆପଣଙ୍କ ଘର ଯୁଦ୍ଧକ୍ଷେତ୍ର ପାଲଟିବ ନାହିଁ ।—ହିତୋପଦେଶ ୧୫:୪; ୨୬:୨୦.

ଯଦି ଆପଣ ଦୁହେଁ କୌଣସି ବିଷୟରେ ପରସ୍ପର ସହିତ ଏକମତ ହୁଅନ୍ତି ନାହିଁ, ତେବେ ମଧ୍ୟ ପରସ୍ପରକୁ କୋମଳତାର ସହିତ ବ୍ୟବହାର କରନ୍ତୁ ଏବଂ ପ୍ରେମ ଓ ଆଦର ଦେଖାଇବା କେବେ ମଧ୍ୟ ଭୁଲନ୍ତୁ ନାହିଁ । (କଲସୀୟ ୪:୬) ଯେତେ ଶୀଘ୍ର ସମ୍ଭବ, ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ ଏବଂ ପରସ୍ପର ସହିତ କଥାବାର୍ତ୍ତା କରିବା ବନ୍ଦ କରନ୍ତୁ ନାହିଁ ।—ଏଫିସୀୟ ୪:୨୬.

ଆପଣ କʼଣ କରିପାରିବେ:

  • ସମସ୍ୟା ବିଷୟରେ କଥା ହେବା ପାଇଁ ଏକ ଉପଯୁକ୍ତ ସମୟ ଠିକ୍‌ କରନ୍ତୁ

  • ଯେତେବେଳେ ଆପଣଙ୍କ ଶୁଣିବାର ପାଳି ଆସେ, ସେତେବେଳେ ନିଜ ଜୀବନସାଥୀଙ୍କ କଥାରେ ବାଧା ଦିଅନ୍ତୁ ନାହିଁ । ଆପଣଙ୍କୁ ମଧ୍ୟ କହିବା ପାଇଁ ସୁଯୋଗ ମିଳିବ

୨ ଧ୍ୟାନ ଦେଇ ଶୁଣନ୍ତୁ ଏବଂ ବୁଝିବାକୁ ଚେଷ୍ଟା କରନ୍ତୁ

ବାଇବଲ କʼଣ କହେ: ‘ପରସ୍ପର ପ୍ରତି ସ୍ନେହଶୀଳ ହୁଅନ୍ତୁ ଏବଂ ସମାଦରରେ ପରସ୍ପରକୁ ଶ୍ରେଷ୍ଠ ମନେ କରନ୍ତୁ ।’ (ରୋମୀୟ ୧୨:୧୦) ଆପଣ ନିଜ ଜୀବନସାଥୀଙ୍କ କଥା କିପରି ଶୁଣନ୍ତି, ତାହା ଖୁବ୍‌ ମହତ୍ତ୍ୱ ରଖିଥାଏ । ‘ପରସ୍ପରର ସୁଖଦୁଃଖର ସହଭାଗୀ ହୋଇ ଏବଂ କୋମଳ ହୃଦୟ ଓ ନମ୍ର ଭାବ ଧାରଣ କରି’ ଜୀବନସାଥୀଙ୍କ ଦୃଷ୍ଟିକୋଣକୁ ବୁଝିବାକୁ ଚେଷ୍ଟା କରନ୍ତୁ । (୧ ପିତର ୩:୮; ଯାକୁବ ୧:୧୯) ତାଙ୍କ କଥା ଶୁଣିବାର କେବଳ ବାହାନା କରନ୍ତୁ ନାହିଁ । କୌଣସି କାମ କରିବା ସମୟରେ ମଧ୍ୟ ଯଦି ସମ୍ଭବ ହୁଏ, ତେବେ ଆପଣ ନିଜ କାମକୁ ବନ୍ଦ କରି ଜୀବନସାଥୀଙ୍କ ପ୍ରତି ପୂରା ଧ୍ୟାନ ଦିଅନ୍ତୁ । ଯଦି ସମ୍ଭବ ନୁହେଁ, ତେବେ ତାଙ୍କ ସହିତ ପରେ କଥା ହୋଇପାରିବେ କି ବୋଲି ପଚାରନ୍ତୁ । ଯଦି ଆପଣ ନିଜ ଜୀବନସାଥୀଙ୍କୁ ବିରୋଧୀ ନ ଭାବି ନିଜ ସାଙ୍ଗ ବୋଲି ଭାବିବେ, ତେବେ ଆପଣ ‘ଶୀଘ୍ର କ୍ରୋଧିତ ହେବେ ନାହିଁ ।’—ଉପଦେଶକ ୭:୯, ଇଜି-ଟୁ-ରିଡ୍‌ ଭର୍ସନ ।

ଆପଣ କʼଣ କରିପାରିବେ:

  • ଆଗରୁ କୌଣସି ନିଷ୍ପତ୍ତି ନ ନେଇ ନିଜ ଜୀବନସାଥୀଙ୍କ କଥା ଆଗ୍ରହର ସହିତ ଶୁଣନ୍ତୁ, ଏପରି ସମୟରେ ମଧ୍ୟ ଯେତେବେଳେ ତାଙ୍କ କଥା ଆପଣଙ୍କୁ ଭଲ ଲାଗେ ନାହିଁ

  • କଥାର ଶବ୍ଦଗୁଡ଼ିକ ପଛରେ ରହିଥିବା ଅର୍ଥକୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ । ନିଜ ଜୀବନସାଥୀଙ୍କ ଅଙ୍ଗଭଙ୍ଗୀ ଏବଂ କଥା କହିବାର ଶୈଳୀ ପ୍ରତି ଧ୍ୟାନ ଦିଅନ୍ତୁ

୩ ଆପଣ ଯାହା ନିଷ୍ପତ୍ତି ନେଇଛନ୍ତି, ତାʼ ଅନୁଯାୟୀ କାମ ମଧ୍ୟ କରନ୍ତୁ

ବାଇବଲ କʼଣ କହେ: “ପ୍ରତ୍ୟେକ କଠିନ ପରିଶ୍ରମର ପୁରସ୍କାର ଅଛି, କିନ୍ତୁ ଯଦି ଜଣେ ବ୍ୟକ୍ତି କେବଳ କଥା କହିବା ଚାଲୁ ରଖେ, ଏହା ତାକୁ ଦରିଦ୍ରତା ଆଡ଼କୁ ଆଗେଇ ନିଏ ।” (ହିତୋପଦେଶ ୧୪:୨୩, ଇଜି-ଟୁ-ରିଡ୍‌ ଭର୍ସନ) କେବଳ ଆପଣ ଦୁହେଁ ମିଶି ଗୋଟିଏ ସମାଧାନ ବାହାର କରିବା ଯଥେଷ୍ଟ ନୁହେଁ । ଆପଣ ଯାହା ନିଷ୍ପତ୍ତି ନେଇଛନ୍ତି, ତାʼ ଅନୁଯାୟୀ ଆପଣଙ୍କୁ କାମ ମଧ୍ୟ କରିବାକୁ ହେବ । ହୁଏତ ଏଥିରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ, କିନ୍ତୁ ଆପଣଙ୍କୁ ଏହାର ପ୍ରତିଫଳ ନିଶ୍ଚୟ ମିଳିବ । (ହିତୋପଦେଶ ୧୦:୪) ଯଦି ଆପଣ ମିଳିମିଶି କାମ କରନ୍ତି, ତେବେ ଆପଣଙ୍କ କଠିନ ପରିଶ୍ରମର “ଉତ୍ତମ ଫଳ” ମିଳିବ ।—ଉପଦେଶକ ୪:୯.

ଆପଣ କʼଣ କରିପାରିବେ:

  • ଏହା ସ୍ଥିର କରନ୍ତୁ ଯେ ନିଜ ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ଆପଣ ଦୁହେଁ ବ୍ୟକ୍ତିଗତ ଭାବରେ କʼଣ କʼଣ ବ୍ୟବହାରିକ ପଦକ୍ଷେପ ନେବେ

  • ସମୟ ସମୟରେ ଏହା ପରୀକ୍ଷା କରନ୍ତୁ ଯେ ଆପଣ କେତେ ଦୂର ନିଜ ସମସ୍ୟାଗୁଡ଼ିକୁ ସମାଧାନ କରି ସାରିଛନ୍ତି