इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଭାଗ ୧

ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ଈଶ୍ୱରଙ୍କୁ ସାହାଯ୍ୟ ମାଗନ୍ତୁ

ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ଈଶ୍ୱରଙ୍କୁ ସାହାଯ୍ୟ ମାଗନ୍ତୁ

‘ସୃଷ୍ଟିକର୍ତ୍ତା ଆରମ୍ଭରୁ ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ ।’—ମାଥିଉ ୧୯:୪

ଯିହୋବା a ଈଶ୍ୱର ବିବାହ ବନ୍ଧନର ଆରମ୍ଭ କରିଥିଲେ । ବାଇବଲ କହେ ଯେ ଈଶ୍ୱର ପୃଥିବୀର ପ୍ରଥମ ସ୍ତ୍ରୀକୁ ସୃଷ୍ଟି କଲେ ଏବଂ ତାକୁ ପ୍ରଥମ ପୁରୁଷ “ଆଦମଙ୍କ ନିକଟକୁ ଆଣିଲେ ।” ତାକୁ ଦେଖି ଆଦମ ଏତେ ଖୁସି ହେଲା ଯେ ସେ କହିଲା, “ଏ ମୋହର ଅସ୍ଥିର ଅସ୍ଥି ଓ ମାଂସର ମାଂସ ।” (ଆଦି ପୁସ୍ତକ ୨:୨୨, ୨୩) ଯିହୋବା ଆଜି ମଧ୍ୟ ଚାହାନ୍ତି ଯେ ବିବାହିତ ଦମ୍ପତି ଖୁସିରେ ରହନ୍ତୁ ।

ଯେତେବେଳେ ଆପଣ ବିବାହ କରନ୍ତି, ଆପଣ ଆଶା କରନ୍ତି ଯେ ଆପଣଙ୍କ ବୈବାହିକ ଜୀବନ ଫୁଲର ଶେଯ ହେବ । କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ, ଏପରିକି ଯେଉଁ ପତି-ପତ୍ନୀ ପରସ୍ପରକୁ ବହୁତ ପ୍ରେମ କରନ୍ତି, ସେମାନଙ୍କ ଜୀବନରେ ମଧ୍ୟ କିଛି ନା କିଛି ସମସ୍ୟା ଆସିଥାଏ । (୧ କରିନ୍ଥୀୟ ୭:୨୮) ଏହି ପୁସ୍ତିକାରେ ଆପଣ ଏପରି ବାଇବଲ ସିଦ୍ଧାନ୍ତ ପାଇବେ, ଯେଉଁଗୁଡ଼ିକୁ ଲାଗୁ କରିବା ଦ୍ୱାରା ଆପଣଙ୍କ ବୈବାହିକ ଜୀବନରେ ଏବଂ ପରିବାରରେ ଆପଣ ଖୁସି ଓ ଆନନ୍ଦ ଭରିପାରିବେ ।—ଗୀତସଂହିତା ୧୯:୮-୧୧.

୧ ଯିହୋବା ଆପଣଙ୍କୁ ଯେଉଁ ଭୂମିକା ଦେଇଛନ୍ତି, ତାହା ସ୍ୱୀକାର କରନ୍ତୁ

ବାଇବଲ କʼଣ କହେ: ପତି ପରିବାରର ମୁଖିଆ ଅଟନ୍ତି ।—ଏଫିସୀୟ ୫:୨୩.

ଯଦି ଆପଣ ଜଣେ ପତି ଅଟନ୍ତି, ତେବେ ଯିହୋବା ଆପଣଙ୍କଠାରୁ ଆଶା କରନ୍ତି ଯେ ଆପଣ ନିଜ ପତ୍ନୀଙ୍କ ସହ କୋମଳତାର ସହିତ ବ୍ୟବହାର କରନ୍ତୁ । (୧ ପିତର ୩:୭) ସେ ଆପଣଙ୍କ ପତ୍ନୀଙ୍କୁ ଆପଣଙ୍କର ଅନୁରୂପ ସହକାରିଣୀ ଭାବେ ସୃଷ୍ଟି କରିଛନ୍ତି ଏବଂ ସେ ଚାହାନ୍ତି ଯେ ଆପଣ ତାହାଙ୍କ ସହ ପ୍ରେମ ଓ ମର୍ଯ୍ୟାଦାର ସହିତ ବ୍ୟବହାର କରନ୍ତୁ । (ଆଦି ପୁସ୍ତକ ୨:୧୮) ଆପଣ ନିଜ ପତ୍ନୀଙ୍କୁ ଏତେ ପ୍ରେମ କରିବା ଉଚିତ୍‌ ଯେ ଆପଣ ତାଙ୍କ ପସନ୍ଦ-ନାପସନ୍ଦକୁ ନିଜର ଅପେକ୍ଷା ଅଧିକ ଗୁରୁତ୍ୱ ଦେବା ପାଇଁ ସର୍ବଦା ପ୍ରସ୍ତୁତ ରହିବା ଉଚିତ୍‌ ।—ଏଫିସୀୟ ୫:୨୫-୨୯.

ଯଦି ଆପଣ ଜଣେ ପତ୍ନୀ ଅଟନ୍ତି, ତେବେ ଯିହୋବା ଆପଣଙ୍କଠାରୁ ଆଶା କରନ୍ତି ଯେ ଆପଣ ନିଜ ପତିଙ୍କୁ ଗଭୀର ଆଦର କରନ୍ତୁ ଏବଂ ତାଙ୍କୁ ନିଜ ଭୂମିକା ତୁଲାଇବାରେ ସାହାଯ୍ୟ କରନ୍ତୁ । (୧ କରିନ୍ଥୀୟ ୧୧:୩; ଏଫିସୀୟ ୫:୩୩) ପତିଙ୍କ ନିଷ୍ପତ୍ତିଗୁଡ଼ିକରେ ତାଙ୍କୁ ସମର୍ଥନ କରନ୍ତୁ ଏବଂ ସେହି ନିଷ୍ପତ୍ତିଗୁଡ଼ିକୁ ସଫଳ କରିବାରେ ହୃଦୟର ସହିତ ତାଙ୍କୁ ସହଯୋଗ କରନ୍ତୁ । (କଲସୀୟ ୩:୧୮) ଯଦି ଆପଣ ଏପରି କରିବେ, ତେବେ ଆପଣ ନିଜ ପତି ଏବଂ ଯିହୋବାଙ୍କ ଦୃଷ୍ଟିରେ ବହୁମୂଲ୍ୟ ହୋଇପାରିବେ ।—୧ ପିତର ୩:୧-୬.

ଆପଣ କʼଣ କରିପାରିବେ:

  • ଆପଣଙ୍କ ଜୀବନସାଥୀଙ୍କୁ ପଚାରନ୍ତୁ ଯେ ଆପଣ କିପରି ଜଣେ ଆହୁରି ଭଲ ପତି କିମ୍ବା ପତ୍ନୀ ହୋଇପାରିବେ । ତାʼପରେ ଧ୍ୟାନର ସହିତ ତାଙ୍କ କଥା ଶୁଣନ୍ତୁ ଏବଂ ନିଜ ଭିତରେ ଉନ୍ନତି ଆଣିବା ପାଇଁ ସର୍ବଦା ଚେଷ୍ଟା କରନ୍ତୁ

  • ଧୈର୍ଯ୍ୟ ଧରନ୍ତୁ । ଆପଣ ଦୁହେଁ ପରସ୍ପରକୁ କିପରି ଖୁସି ଦେଇପାରିବେ, ତାହା ଶିଖିବାରେ ଆପଣ ଦୁହିଙ୍କୁ ସମୟ ଲାଗିବ

୨ ଆପଣଙ୍କ ଜୀବନସାଥୀଙ୍କର ଭାବନାଗୁଡ଼ିକ ପ୍ରତି ପ୍ରକୃତ ସହାନୁଭୂତି ଦେଖାନ୍ତୁ

ବାଇବଲ କʼଣ କହେ: ଆପଣ ନିଜ ଜୀବନସାଥୀଙ୍କ ପସନ୍ଦ-ନାପସନ୍ଦ ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ । (ଫିଲିପ୍ପୀୟ ୨:୩, ୪) ନିଜ ଜୀବନସାଥୀଙ୍କୁ ବହୁମୂଲ୍ୟ ଭାବି ତାହାଙ୍କ ସହିତ ଉତ୍ତମ ବ୍ୟବହାର କରନ୍ତୁ । ମନେରଖନ୍ତୁ, ଯିହୋବା ଚାହାନ୍ତି ଯେ ତାହାଙ୍କ ସେବକମାନେ ‘ସମସ୍ତଙ୍କ ପ୍ରତି କୋମଳତାର’ ସହିତ ବ୍ୟବହାର କରନ୍ତୁ । (୨ ତୀମଥି ୨:୨୪) ‘ଯେଉଁ ଲୋକମାନେ କୌଣସି ଚିନ୍ତା ନ କରି କହନ୍ତି, ସେମାନଙ୍କର ଶବ୍ଦଗୁଡ଼ିକ ଖଡ଼୍‌ଗ ପରି ଆଘାତ କରେ । ମାତ୍ର ଜ୍ଞାନୀ ଲୋକର କଥା ଆରୋଗ୍ୟ କରେ ।’ ତେଣୁ ଭାବିଚିନ୍ତି କଥା କୁହନ୍ତୁ । (ହିତୋପଦେଶ ୧୨:୧୮, ଇଜି-ଟୁ-ରିଡ୍‌ ଭର୍ସନ) ଯିହୋବାଙ୍କ ପବିତ୍ର ଆତ୍ମା ଅର୍ଥାତ୍‌ ତାହାଙ୍କ ସକ୍ରିୟ ଶକ୍ତି ଆପଣଙ୍କୁ ନିଜ ଜୀବନସାଥୀଙ୍କ ସହ ପ୍ରେମ ଓ କୋମଳତାର ସହିତ କଥାବାର୍ତ୍ତା ହେବାକୁ ସାହାଯ୍ୟ କରିବ ।—ଗାଲାତୀୟ ୫:୨୨, ୨୩; କଲସୀୟ ୪:୬.

ଆପଣ କʼଣ କରିପାରିବେ:

  • ନିଜ ଜୀବନସାଥୀଙ୍କ ସହିତ କୌଣସି ଗମ୍ଭୀର ବିଷୟରେ କଥାବାର୍ତ୍ତା କରିବା ପୂର୍ବରୁ ଶାନ୍ତ ରହିବା ଏବଂ ଖୋଲାମନ ଆପଣାଇବା ପାଇଁ ଯିହୋବାଙ୍କୁ ପ୍ରାର୍ଥନାରେ ସାହାଯ୍ୟ ମାଗନ୍ତୁ

  • ଜୀବନସାଥୀଙ୍କୁ ଆପଣ କʼଣ କହିବେ ଏବଂ କିପରି କହିବେ ତାʼ ଉପରେ ଗଭୀର ଭାବେ ଚିନ୍ତା କରନ୍ତୁ

୩ ଦୁହେଁ ମିଶି ଚିନ୍ତା କରନ୍ତୁ

ବାଇବଲ କʼଣ କହେ: ଯେତେବେଳେ ଆପଣ ବିବାହ କରନ୍ତି, ଆପଣ ଓ ଆପଣଙ୍କ ଜୀବନସାଥୀ ଦୁହେଁ “ଏକାଙ୍ଗ” ହୋଇଯାʼନ୍ତି । (ମାଥିଉ ୧୯:୫) ତଥାପି ଆପଣ ଦୁଇଜଣ ଭିନ୍ନ ଭିନ୍ନ ବ୍ୟକ୍ତି ଅଟନ୍ତି, ତେଣୁ ଆପଣ ଦୁହିଙ୍କ ମତାମତ ମଧ୍ୟ ପରସ୍ପରଠାରୁ ଭିନ୍ନ ହୋଇପାରେ । ସେଥିପାଇଁ ଦୁହିଙ୍କୁ ନିଜ ଭାବନା ଓ ବିଚାରଗୁଡ଼ିକରେ ଏକ ହେବା ପାଇଁ ଶିଖିବାକୁ ହେବ । (ଫିଲିପ୍ପୀୟ ୨:୨) ନିଷ୍ପତ୍ତିଗୁଡ଼ିକ ନେବା ସମୟରେ ଭାବନା ଓ ବିଚାରଗୁଡ଼ିକରେ ଏକମତ ହେବା ଖୁବ୍‌ ଜରୁରୀ ଅଟେ । ବାଇବଲ କହେ: “ମନ୍ତ୍ରଣା ଦ୍ୱାରା ପ୍ରତ୍ୟେକ ସଂକଳ୍ପ ସ୍ଥିର ହୁଏ” ଅର୍ଥାତ୍‌ ସୁପରାମର୍ଶ ଦ୍ୱାରା ପ୍ରତ୍ୟେକ ଯୋଜନା ସ୍ଥିର ହୋଇଥାଏ । (ହିତୋପଦେଶ ୨୦:୧୮) ସେଥିପାଇଁ ଦୁହେଁ ମିଶି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସମୟରେ ବାଇବଲ ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖନ୍ତୁ ।—ହିତୋପଦେଶ ୮:୩୨, ୩୩.

ଆପଣ କʼଣ କରିପାରିବେ:

  • ଆପଣଙ୍କ ଜୀବନସାଥୀଙ୍କୁ କେବଳ ତଥ୍ୟ କିମ୍ବା ମତାମତ ନୁହଁ, ବରଂ ନିଜ ଭାବନାଗୁଡ଼ିକ ବିଷୟରେ ମଧ୍ୟ ମନଖୋଲି କୁହନ୍ତୁ

  • ଯେକୌଣସି ନିଷ୍ପତ୍ତି ନେବା ପୂର୍ବରୁ ନିଜ ଜୀବନସାଥୀଙ୍କ ପରାମର୍ଶ ନିଅନ୍ତୁ

a ବାଇବଲ କହେ ଯେ ଈଶ୍ୱରଙ୍କ ନାମ ଯିହୋବା ଅଟେ ।