ପରିବାରର ସୁଖ ଶାନ୍ତି ପାଇଁ ବଢ଼ିଆ ପରାମର୍ଶ
ଈଶ୍ୱର ଚାହାନ୍ତି ଯେ ଆମ ପରିବାରରେ ସୁଖ ଶାନ୍ତି ରହୁ । ଆମ ଜୀବନସାଥୀ ଓ ପିଲାମାନେ ଈଶ୍ୱରଙ୍କ ତରଫରୁ ଉପହାର ଅଟନ୍ତି । ସେଥିପାଇଁ ସେ ପବିତ୍ର ଶାସ୍ତ୍ରରେ ଆମକୁ ବଢ଼ିଆ ପରାମର୍ଶ ଦେଇଛନ୍ତି । ଯଦି ଆମେ ତାଙ୍କ ପରାମର୍ଶଗୁଡ଼ିକୁ ମାନିବା, ତେବେ ପରିବାରରେ ସମସ୍ତଙ୍କ ମଧ୍ୟରେ ପ୍ରେମ ରହିବ, ଶାନ୍ତି ରହିବ ଏବଂ ଆମେ ଖୁସିରେ ରହିପାରିବା । ଆସନ୍ତୁ ଦେଖିବା ଯେ ସେହି ପରାମର୍ଶଗୁଡ଼ିକ କʼଣ ?
ପତିମାନେ, ନିଜ ନିଜ ପତ୍ନୀମାନଙ୍କୁ ପ୍ରେମ କର
“ସ୍ୱାମୀମାନଙ୍କର ମଧ୍ୟ ଆପଣା ଆପଣା ସ୍ତ୍ରୀମାନଙ୍କୁ ନିଜ ନିଜ ଶରୀର ସଦୃଶ ପ୍ରେମ କରିବା ଉଚିତ ଯେ ନିଜ ସ୍ତ୍ରୀକୁ ପ୍ରେମ କରେ, ସେ ଆପଣାକୁ ପ୍ରେମ କରେ; କେହି ତ ଆପଣା ଶରୀରକୁ କେବେ ଘୃଣା କରେ ନାହିଁ, ମାତ୍ର ତାହାର ଭରଣପୋଷଣ ଓ ଲାଳନପାଳନ କରେ ।”—ଏଫିସୀୟ ୫:୨୮, ୨୯.
ପତି ପରିବାରର ମୁଖିଆ ଅଟନ୍ତି । (ଏଫିସୀୟ ୫:୨୩) କିନ୍ତୁ ତାର ଅର୍ଥ ଏହା ନୁହେଁ ଯେ ସେ ପତ୍ନୀ ସହ ଖରାପ ବ୍ୟବହାର କରିବ ଏବଂ ପ୍ରତ୍ୟେକ ମାମଲାରେ ତାʼ ଉପରେ ଅଧିକାର ଜମାଇବା ଉଚିତ୍ ନୁହଁ । ସେ ପତ୍ନୀର ଆଦର କରିବା ଏବଂ ଯତ୍ନ ନେବା ଉଚିତ୍ । ତାʼଛଡ଼ା ସେ ତାʼର ଆବଶ୍ୟକତା ମଧ୍ୟ ପୂରଣ କରିବା ଏବଂ ପ୍ରେମ କରିବା ଉଚିତ୍ । ଯଦି ପତ୍ନୀ ଦୁଃଖୀ ଥାଏ, ତେବେ ପତିର ଦାୟିତ୍ୱ ଯେ ସେ ତାʼର ସାହସ ବଢ଼ାଇବ । ପତ୍ନୀକୁ ଖୁସି କରିବା ପାଇଁ ସେ ପୂରା ଚେଷ୍ଟା କରିବା ଉଚିତ୍ ଏବଂ ଏହା ଆଶା କରିବା ଉଚିତ୍ ନୁହଁ ଯେ ପତ୍ନୀ ତାʼର ସବୁ କଥା ମାନିବ । (ଫିଲିପ୍ପୀୟ ୨:୪) ସେ ପତ୍ନୀକୁ ସବୁ କଥା କହିବା ଉଚିତ୍ । କିଛି ବି ଲୁଚାଇବା ଉଚିତ୍ ନୁହଁ । ତାʼସହ ପତ୍ନୀର କଥା ବି ଧ୍ୟାନ ଦେଇ ଶୁଣିବା ଉଚିତ୍ । ଜଣେ ଭଲ ପତି ନିଜ ପତ୍ନୀ ଉପରେ ରାଗି ଯାଇ ତମତମ ହେବା ଉଚିତ୍ ନୁହେଁ । ହାତ ଉଠାଇବା କିମ୍ବା ତାକୁ ଦୁଃଖ ଦେଉଥିବା କଥା କହିବା ମଧ୍ୟ ଉଚିତ୍ ନୁହଁ ।—କଲସୀୟ ୩:୧୯.
ପତ୍ନୀମାନେ, ନିଜ ପତିଙ୍କ ଆଦର କରନ୍ତୁ
‘ସ୍ତ୍ରୀ ଆପଣା ସ୍ୱାମୀକି ଭକ୍ତି କରୁ ।’—ଏଫିସୀୟ ୫:୩୩.
ଜଣେ ପତ୍ନୀଙ୍କୁ ନିଜ ପତିଙ୍କ ଆଦର କରିବା ଉଚିତ୍ । ଯଦି ପତି କିଛି ନିଷ୍ପତ୍ତି ନିଅନ୍ତି ତେବେ ପତ୍ନୀ ତାଙ୍କୁ ସହଯୋଗ କରିବା ଉଚିତ୍ । ଏପରି କଲେ ପରିବାରରେ ଶାନ୍ତି ରହିବ । ଯଦି ପତି କିଛି ଭୁଲ କରନ୍ତି, ତେବେ ପତ୍ନୀ ନିଜ ପତିଙ୍କୁ ଦୁଃଖ ଲାଗିବା ଭଳି କଥା କହିବା ଉଚିତ୍ ନୁହେଁ । (୧ ପିତର ୩:୪) ପତ୍ନୀ କୌଣସି କଥାକୁ ନେଇ ଚିନ୍ତାରେ ଥିଲେ ସେ ପତି ସହ କଥା ହେବା ପାଇଁ ଠିକ୍ ସମୟର ଅପେକ୍ଷା କରିବା ଉଚିତ୍ ଏବଂ ସେ ବିଷୟରେ ଆରାମରେ କଥା ହେବା ଉଚିତ୍ ।—ଉପଦେଶକ ୩:୭.
ନିଜ ଜୀବନସାଥୀର ବିଶ୍ୱସ୍ତ ରହନ୍ତୁ
‘ମନୁଷ୍ୟ ଆପଣା ଭାର୍ଯ୍ୟାଠାରେ ଆସକ୍ତ ହେବ, ଆଉ ସେମାନେ ଏକାଙ୍ଗ ହେବେ ।’—ଆଦି ପୁସ୍ତକ ୨:୨୪.
ଯେତେବେଳେ ଜଣେ ପୁଅ ଓ ଝିଅ ବିବାହ କରନ୍ତି, ସେତେବେଳେ ଗୋଟିଏ ଖାସ୍ ଏବଂ ନୂଆ ସମ୍ପର୍କର ଆରମ୍ଭ ହୁଏ । ଯଦି ସେମାନେ ପ୍ରତିଦିନ ପରସ୍ପର ସହ ମନ ଖୋଲି କଥା ହୁଅନ୍ତି ଏବଂ ପରସ୍ପର ପାଇଁ ଛୋଟ ଛୋଟ କାମ କରନ୍ତି ତେବେ ସେମାନେ ଖୁସି ରହିବେ ଓ ସେମାନଙ୍କ ସମ୍ପର୍କ ମଜବୁତ୍ ହେବ । ସେମାନଙ୍କୁ ନିଜ ପତି କିମ୍ବା ପତ୍ନୀଙ୍କ ଛଡ଼ା ଅନ୍ୟ କାହାରି ସହିତ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ନୁହେଁ । ଯଦି ସେମାନଙ୍କ ମଧ୍ୟରୁ କେହି ଜଣେ ବିଶ୍ୱାସଘାତ କରନ୍ତି, ତେବେ ପତି କିମ୍ବା ପତ୍ନୀ ନିରାଶ ହୋଇ ଯାଇପାରନ୍ତି ଏବଂ ତାʼ ଜୀବନ ନଷ୍ଟ ହୋଇ ଯାଇପାରେ । ହୁଏତ ସେ ଆଉ ନିଜ ଜୀବନସାଥୀ ଉପରେ ଭରସା କରିପାରିବ ନାହିଁ ଏବଂ ହୁଏତ ତାଙ୍କ ପରିବାର ମଧ୍ୟ ଭାଙ୍ଗି ଯାଇପାରେ ।—ଏବ୍ରୀ ୧୩:୪.
ବାପାମାଆ, ନିଜ ପିଲାମାନଙ୍କୁ ଶିଖାନ୍ତୁ
‘ପିଲାର ଗନ୍ତବ୍ୟ ପଥରେ ତାହାକୁ ଶିକ୍ଷିତ କରାଅ; ତେଣୁ ସେ ବୃଦ୍ଧ ହେଲେ ହେଁ ତହିଁରୁ ବିମୁଖ ହେବ ନାହିଁ ।’ —ହିତୋପଦେଶ ୨୨:୬.
ଈଶ୍ୱର ପିଲାମାନଙ୍କୁ ଶିଖାଇବାର ଦାୟିତ୍ୱ ବାପାମାଆଙ୍କୁ ଦେଇଛନ୍ତି । ସେମାନେ ପିଲାମାନଙ୍କୁ କେବଳ ଏହା କହିବା ଉଚିତ୍ ନୁହେଁ ଯେ ଏପରି କର ନାହିଁ କି ସେପରି କର ନାହିଁ, ବରଂ ନିଜେ ବି କରି ଦେଖାଇବା ଉଚିତ୍ । (ଦ୍ୱିତୀୟ ବିବରଣ ୬:୬, ୭) ଯଦି ପିଲାମାନେ କିଛି ଭୁଲ କରନ୍ତି ତେବେ ତୁରନ୍ତ ରାଗି ନ ଯାଇ କିଛି କହିବା ପୂର୍ବରୁ ସେମାନଙ୍କ କଥା ଶାନ୍ତିରେ ଶୁଣିବା ଉଚିତ୍ । (ଯାକୁବ ୧:୧୯) ଯଦି କିଛି ବିଷୟରେ ବୁଝାଇବା ଦରକାର ହୁଏ ତେବେ ପ୍ରେମର ସହ ବୁଝାନ୍ତୁ ।
ପିଲାମାନେ, ନିଜ ବାପାମାଆଙ୍କ କଥା ମାନନ୍ତୁ
‘ହେ ପିଲାମାନେ, ଆପଣା ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ । ଆପଣା ପିତାମାତାଙ୍କୁ ସମାଦର କର ।’—ଏଫିସୀୟ ୬:୧, ୨.
ପିଲାମାନେ ବାପାମାଆଙ୍କ କଥା ମାନିବା ଉଚିତ୍ ଏବଂ ସେମାନଙ୍କ ଆଦର କରିବା ଉଚିତ୍ । ଯେତେବେଳେ ସେମାନେ ଏପରି କରନ୍ତି ସେମାନଙ୍କ ପରିବାରରେ ଶାନ୍ତି ରହେ ଏବଂ ସମସ୍ତଙ୍କୁ ଭଲ ଲାଗେ । ଯେତେବେଳେ ପିଲାମାନେ ବଡ଼ ହୋଇଯାʼନ୍ତି, ସେତେବେଳେ ମଧ୍ୟ ସେମାନେ ବାପାମାଆଙ୍କ ଆଦର କରିବା ଏବଂ ସେମାନଙ୍କ ଦେଖାଶୁଣା କରିବା ଉଚିତ୍ । ଯଦି ସେମାନେ ପିତାମାତାଙ୍କ ସହ ରହନ୍ତି ନାହିଁ, ତେବେ ସେମାନଙ୍କୁ ଘରର ଛୋଟମୋଟ କାମ ଏବଂ ମରାମତି କାମରେ ସାହାଯ୍ୟ କରିବା ଉଚିତ୍ ଏବଂ ଏହା ମଧ୍ୟ ଧ୍ୟାନ ରଖିବା ଉଚିତ୍ ଯେ ଯେପରି ସେମାନଙ୍କ ସବୁ ଆବଶ୍ୟକତା ପୂରଣ ହେଉଛି ।—୧ ତୀମଥି ୫:୩, ୪.