इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପୃଥିବୀର ବିନାଶ କେବେ ହେବ ?

ପୃଥିବୀର ବିନାଶ କେବେ ହେବ ?

ପୂର୍ବ ଲେଖାରେ ଆମେ ଦେଖିଥିଲୁ ଯେ ଈଶ୍ୱର ସମସ୍ତ ଲୋକ କିମ୍ବା ପୃଥିବୀକୁ ବିନାଶ କରିବେ ନାହିଁ ବରଂ ଦୁଷ୍ଟଲୋକ ଓ ସେମାନଙ୍କ ଦୁଷ୍ଟ କାମଗୁଡ଼ିକୁ ବିନାଶ କରିବେ । କʼଣ ଶାସ୍ତ୍ରରେ ଏହା ମଧ୍ୟ ଲେଖାଅଛି ଯେ ପୃଥିବୀର ବିନାଶ କେବେ ହେବ ?

ଶାସ୍ତ୍ରରେ ବିନାଶ ବିଷୟରେ କʼଣ ଲେଖାଅଛି ?

‘ଜାଗି ରୁହ, କାରଣ ତୁମ୍ଭେମାନେ ସେହି ଦିନ କି ସେହି ସମୟ ଜାଣ ନାହିଁ ।’—ମାଥିଉ ୨୫:୧୩.

“ଜାଗି ରୁହ, କାରଣ ସେସମୟ କେବେ ହେବ, ତାହା ତୁମ୍ଭେମାନେ ଜାଣ ନାହିଁ ।”—ମାର୍କ ୧୩:୩୩.

ଶାସ୍ତ୍ରରେ ଲେଖାଥିବା ଏହି କଥାରୁ ଜଣାପଡ଼େ ଯେ ବିନାଶ କେବେ ହେବ କେହି ଜାଣି ନାହାନ୍ତି, କେବଳ ଈଶ୍ୱର ଜାଣିଛନ୍ତି । ସେ ‘ଗୋଟିଏ ଦିନ ଓ ସମୟ’ ନିର୍ଦ୍ଧାରିତ କରିଛନ୍ତି ଯେ ସେ ଏହି ପୃଥିବୀର ବିନାଶ କେବେ କରିବେ । (ମାଥିଉ ୨୪:୩୬) କʼଣ ଏହାର ଅର୍ଥ ଆମେ ଜାଣିପାରିବା ନାହିଁ ଯେ ବିନାଶ କେବେ ହେବ ? ଏପରି ନୁହେଁ । ଈଶ୍ୱରଙ୍କ ପୁଅ ଯୀଶୁ ଏହି ପୃଥିବୀରେ ଥିବାବେଳେ ନିଜ ଶିଷ୍ୟମାନଙ୍କୁ କିଛି ଘଟଣା ବିଷୟରେ କହିଥିଲେ ଏବଂ ଏହା ମଧ୍ୟ କହିଥିଲେ ଏହିସବୁ ଘଟଣା ଘଟିଲେ ଜାଣିପାରିବ ଯେ ବିନାଶ ପାଖେଇ ଆସିଛି ।

ବିନାଶ ଆସିବା ପୂର୍ବରୁ କେଉଁ କେଉଁ ଘଟଣା ଘଟିବ ?

ଯୀଶୁ କହିଥିଲେ ଯେ ଏହି ପୃଥିବୀର ବିନାଶ ହେବା ପୂର୍ବରୁ କେଉଁ କେଉଁ ଘଟଣା ଘଟିବ । ସେ କହିଲେ, ‘ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଆକ୍ରମଣ କରିବ, ପୁଣି ସ୍ଥାନେ ସ୍ଥାନେ ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ ।’ (ମାଥିଉ ୨୪:୩, ୭) ସେ ଏହା ମଧ୍ୟ କହିଲେ, ‘ମହାମାରୀ ବ୍ୟାପିବ ।’ (ଲୂକ ୨୧:୧୧) ଆପଣଙ୍କୁ କʼଣ ଲାଗେ ଆଜି ଏପରି ହେଉଛି ?

ଯୁଦ୍ଧ, ଖାଇବା ଅଭାବ, ଭୂମିକମ୍ପ ଏବଂ ମହାମାରୀ ଯୋଗୁଁ ଲୋକମାନଙ୍କୁ ବହୁତ ଦୁଃଖ ସହିବାକୁ ପଡ଼ିଛି ଓ ଅନେକ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ଯେପରି ୨୦୦୪ ମସିହାରେ ଭାରତୀୟ ମହାସାଗରରେ ଏକ ବଡ଼ ଭୂମିକମ୍ପ ଯୋଗୁଁ ସୁନାମି ତରଙ୍ଗ ଉଠିଥିଲା ଏବଂ ପ୍ରାୟ ୨,୨୫,୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା । ତିନି ବର୍ଷ ଭିତରେ କୋଭିଡ୍‌-୧୯ ମହାମାରୀ ଯୋଗୁଁ ପ୍ରାୟ ୬୯,୦୦,୦୦୦ ଲୋକଙ୍କ ମୃତ୍ୟୁ ହେଲା । ଯୀଶୁ କହିଥିଲେ ଏହି ସବୁ ଘଟଣା ଘଟିବାର ଅର୍ଥ ଦୁଷ୍ଟ ଜଗତର ବିନାଶ ପାଖେଇ ଆସିଛି ।

‘ଶେଷକାଳ’

ପୃଥିବୀ ବିନାଶ ହେବା ପୂର୍ବର ସମୟକୁ ବାଇବଲରେ ‘ଶେଷକାଳ’ କୁହାଯାଇଛି । (୨ ପିତର ୩:୩, ୪) ଶାସ୍ତ୍ରରେ ଲେଖାଅଛି ଯେ ଶେଷକାଳରେ ଲୋକମାନେ ସ୍ୱାର୍ଥୀ, ଲୋଭୀ, ହିଂସ୍ରକ ହୋଇଯିବେ ଏବଂ ପରସ୍ପରକୁ ପ୍ରେମ କରୁ ନ ଥିବେ । (୨ ତୀମଥି ୩:୧-୫; “ ପୃଥିବୀ ବିନାଶ ହେବା ପୂର୍ବରୁ କʼଣ ହେବ ?” ନାମକ ବକ୍ସ ଦେଖନ୍ତୁ ।) କʼଣ ଆଜି ଏପରି ଲୋକମାନେ ନାହାନ୍ତି ? ଏହା ମଧ୍ୟ ପ୍ରମାଣ ଦିଏ ଯେ ଖୁବ୍‌ ଶୀଘ୍ର ଏହି ପୃଥିବୀ ବିନାଶ ହେବ ।

କିନ୍ତୁ ଶେଷକାଳ କେବେ ଯାଏ ଚାଲିବ ? ଶାସ୍ତ୍ରରେ ଲେଖାଅଛି, ବହୁତ କମ୍‌ ସମୟ ଯାଏ । ଖୁବ୍‌ ଶୀଘ୍ର ଈଶ୍ୱର “ପୃଥିବୀ ବିନାଶକାରୀମାନଙ୍କୁ” ବିନାଶ କରିଦେବେ ।—ପ୍ରକାଶିତ ବାକ୍ୟ ୧୧:୧୫-୧୮; ୧୨:୧୨.

ଖୁବ୍‌ ଶୀଘ୍ର ପୃଥିବୀ ସୁନ୍ଦର ହୋଇଯିବ

ଈଶ୍ୱର ପୃଥିବୀକୁ କେବେ ବିନାଶ କରିବେ ତାʼର ଦିନ ଓ ସମୟ ଆଗରୁ ନିର୍ଦ୍ଧାରିତ କରିଛନ୍ତି । (ମାଥିଉ ୨୪:୩୬) କିନ୍ତୁ ସେ ଚାହାନ୍ତି ନାହିଁ ଯେ ‘କେହି ବିନଷ୍ଟ ହୁଅନ୍ତୁ ।’ (୨ ପିତର ୩:୯) ଈଶ୍ୱର ଏହା ହିଁ ଚାହାନ୍ତି ଯେ ସମସ୍ତଙ୍କ ଜୀବନ ରକ୍ଷା ହେଉ ଏବଂ ଲୋକମାନେ ଏହି ସୁନ୍ଦର ପୃଥିବୀରେ ଖୁସିରେ ରହନ୍ତୁ । ତେଣୁ ଈଶ୍ୱର ଆଜି ସବୁ ଲୋକମାନଙ୍କୁ ସୁଯୋଗ ଦେଉଛନ୍ତି ଯେ ସେମାନେ ତାଙ୍କ ବିଷୟରେ ଜାଣନ୍ତୁ ଏବଂ ତାଙ୍କ ଇଚ୍ଛା ପୂରା କରନ୍ତୁ ।

ଯୀଶୁ କହିଥିଲେ ପୃଥିବୀର ବିନାଶ ପୂର୍ବରୁ “ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ ।” (ମାଥିଉ ୨୪:୧୪) ଆଜି ଯିହୋବାଙ୍କ ସାକ୍ଷୀ ଏହି ଖବର ଶୁଣାଉଛନ୍ତି ଯେ ଖୁବ୍‌ ଶୀଘ୍ର ଈଶ୍ୱରଙ୍କ ରାଜ୍ୟ ଆସିବ ଏବଂ ଏହି ପୃଥିବୀ ସୁନ୍ଦର ହୋଇଯିବ । ସେମାନେ ଶିଖାଉଛନ୍ତି ଯେ ନୂଆ ଦୁନିଆରେ ରହିବା ପାଇଁ ଆଜି ସେମାନଙ୍କୁ କʼଣ କରିବାକୁ ହେବ । ସେମାନେ କୋଟି କୋଟି ଘଣ୍ଟା ଏହି ଖବର ଶୁଣାଇବାରେ ବିତାଇଲେ । ଯୀଶୁ ଯେପରି କହିଥିଲେ ଠିକ୍‌ ସେହିପରି ହେଉଛି ଏବଂ ଏଥିରୁ ଜଣାପଡ଼େ ଯେ ପୃଥିବୀର ବିନାଶ ପାଖେଇ ଆସିଛି ।

ଖୁବ୍‌ ଶୀଘ୍ର ଈଶ୍ୱର ଦୁଷ୍ଟ ଜଗତର ବିନାଶ କରିଦେବେ । ତାʼପରେ ଲୋକମାନେ ପରସ୍ପର ଉପରେ ଶାସନ କରିବେ ନାହିଁ । ଏହି ପୃଥିବୀ ସୁନ୍ଦର ବଗିଚା ହୋଇଯିବ ଏବଂ ଆପଣ ଏଠାରେ ଖୁସିରେ ରହିବେ । ପରବର୍ତ୍ତୀ ଲେଖାରେ ଏବିଷୟରେ ଆହୁରି ଦେଖିବା ।

ଯୀଶୁ ‘ଶେଷକାଳ’ ବିଷୟରେ ଯେଉଁ ଭବିଷ୍ୟତବାଣୀ କରିଥିଲେ, ସେଥିରୁ ଆମକୁ ଆଶା ମିଳେ ଯେ ଆଗକୁ ଯାଇ ପରିସ୍ଥିତି ଭଲ ହୋଇଯିବ