इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଯିହୋବାଙ୍କ ଇଚ୍ଛା କʼଣ ?

ଯିହୋବାଙ୍କ ଇଚ୍ଛା କʼଣ ?

ଈଶ୍ୱର ଚାହାନ୍ତି ଯେ ଏହି ପୃଥିବୀ ଏକ ସୁନ୍ଦର ବଗିଚା ଅର୍ଥାତ୍‌ ପାରଦୀଶରେ ପରିଣତ ହେଉ ଏବଂ ଆମେ ସମସ୍ତେ ଏଠାରେ ଚିରଦିନ ପାଇଁ ଶାନ୍ତି ଏବଂ ଖୁସିରେ ରହୁ !

ହୁଏତ ଆପଣ ଭାବୁଥିବେ, ‘ଏହା କିପରି ସମ୍ଭବ ହୋଇପାରିବ ?’ ବାଇବଲ କହେ ଯେ ଏମିତି ନିଶ୍ଚୟ ହେବ । ଈଶ୍ୱରଙ୍କ ରାଜ୍ୟ ଏହି ପରିବର୍ତ୍ତନ ଆଣିବ । ଈଶ୍ୱର ଚାହାନ୍ତି ଯେ ତାଙ୍କ ରାଜ୍ୟ ଏବଂ ମଣିଷମାନଙ୍କ ପାଇଁ ତାଙ୍କ ଉଦ୍ଦେଶ୍ୟ ବିଷୟରେ ସମସ୍ତେ ଜାଣନ୍ତୁ ।—ଗୀତସଂହିତା ୩୭:୧୧, ୨୯; ଯିଶାଇୟ ୯:୭.

ଯିହୋବା ଆମର ମଙ୍ଗଳ ଚାହାନ୍ତି ।

ଠିକ୍‌ ଯେପରି ଜଣେ ପିତା ନିଜ ପିଲାମାନଙ୍କ ପାଇଁ ଉତ୍ତମ ଚାହାନ୍ତି, ସେହିପରି ଆମ ସ୍ୱର୍ଗୀୟ ପିତା ମଧ୍ୟ ଚାହାନ୍ତି ଯେ ଆମେ ଚିରଦିନ ପାଇଁ ଜୀବନରେ ପ୍ରକୃତ ଖୁସି ପାଉ । (ଯିଶାଇୟ ୪୮:୧୭, ୧୮) ଯିହୋବା ପ୍ରତିଜ୍ଞା କରିଛନ୍ତି, “ଯେ କେହି ପରମେଶ୍ୱରଙ୍କ ଇଚ୍ଛା ପାଳନ କରେ, ସେ ଅନନ୍ତକାଳ ଜୀବିତ ହୋଇ ରହିବ ।”—୧ ଯୋହନ ୨:୧୭, ଇଜି-ଟୁ-ରିଡ୍‌ ଭର୍ସନ ।

ଈଶ୍ୱର ଚାହାନ୍ତି ଯେ ଆମେ ତାଙ୍କ ନିର୍ଦ୍ଦେଶ ଅନୁସାରେ ଚାଲୁ ।

ବାଇବଲ କହେ ଯେ ଆମ ସୃଷ୍ଟିକର୍ତ୍ତା “ଆପଣା ପଥ ବିଷୟ” ଆମକୁ ଶିଖାଇବା ପାଇଁ ଚାହାନ୍ତି, ଯାହାଦ୍ୱାରା “ଆମ୍ଭେମାନେ ତାହାଙ୍କ ମାର୍ଗରେ ଗମନ” କରିପାରିବା । (ଯିଶାଇୟ ୨:୨, ୩) ସେ “ଆପଣା ନାମ ନିମନ୍ତେ” କିଛି ଲୋକଙ୍କୁ ସଂଗଠିତ କରିଛନ୍ତି, ଯେଉଁମାନଙ୍କ ଦ୍ୱାରା ପୃଥିବୀର ସମସ୍ତ ଲୋକଙ୍କୁ ନିଜ ଇଚ୍ଛା ବିଷୟରେ କହୁଛନ୍ତି ।—ପ୍ରେରିତ ୧୫:୧୪.

ଈଶ୍ୱର ଚାହାନ୍ତି ଯେ ଆମେ ଏକତ୍ରିତ ହୋଇ ତାଙ୍କ ଉପାସନା କରୁ ।

ଯିହୋବାଙ୍କ ଶୁଦ୍ଧ ଉପାସନା ଲୋକମାନଙ୍କ ମଧ୍ୟରେ ଭେଦଭାବ ଆଣିବା ପରିବର୍ତ୍ତେ ସେମାନଙ୍କ ମଧ୍ୟରେ ଏକତା ଆଣେ, କାରଣ ଏହା ପରସ୍ପରକୁ ପ୍ରକୃତ ପ୍ରେମ କରିବା ପାଇଁ ସେମାନଙ୍କୁ ଶିଖାଏ । (ଯୋହନ ୧୩:୩୫) ଆଜି କେହି ଏପରି ଅଛନ୍ତି କି ? କେଉଁମାନେ ଆଜି ଏକତ୍ରିତ ହୋଇ ସମସ୍ତଙ୍କୁ ଈଶ୍ୱରଙ୍କ ଉପାସନା କରିବା ଶିଖାଉଛନ୍ତି ? ଆମେ ଚାହୁଁ ଯେ ଆପଣ ଏହି ପୁସ୍ତିକା ସାହାଯ୍ୟରେ ଏହି ପ୍ରଶ୍ନର ଉତ୍ତର ପାଇବାକୁ ଚେଷ୍ଟା କରନ୍ତୁ ।